Unknown

ଯୌତୁକ

ଭିକାରିଚରଣ ପଟ୍ଟନାୟକ

 

ପ୍ରଥମ ଅଭିନୟ

ସୂଚୀ

୧ମ ଦୃଶ୍ୟ

୨ୟ ଦୃଶ୍ୟ

୩ୟ ଦୃଶ୍ୟ

୪ର୍ଥ ଦୃଶ୍ୟ

୫ମ ଦୃଶ୍ୟ

 

୧ମ ଦୃଶ୍ୟ

(ପଟ୍ଟନାୟକଙ୍କ ଚଉପାଢ଼ୀ)

(ଚନ୍ଦ୍ରମଣି ବାରିକର ପ୍ରବେଶ)

ଗୀତ

ବୋଲ ହରେ ରାମ ଭାଇ ବୋଲ ହରେ ରାମ

ଦୁନିଆରୁ ଉଠିଯାଉ ବିଭା ସାଧି ନାମ ।

ବହେ ପାଣି ଉଚ୍ଚାଣି

ନିଜଗାଲେ ନିଜେ ଖାଇ ଖୁନ୍ଦା ଚଟକଣି

 

ପୁଅକୁ ଝୁଅ ଝୁଅକୁ ପୁଅ ଆଉ ନପଟି

ଝୁଅକୁ ଝୁଅ ଚଳାଇନିଅ, ବର ତ ବହୁତ ଦାମ,

ବର ତ ବହୁତ ଦାମ, ବର ତ ବହୁତ ଦାମ ।

 

(ମଧୁସୂଦନ ପଟ୍ଟନାୟକ ଓ ରଘୁନାଥ ଏବଂ ପ୍ରାଣକୃଷ୍ଣଙ୍କର ପ୍ରବେଶ)

ଚନ୍ଦ୍ର-

ମୋ’ ସାଆନ୍ତେ ତ ଆଇଲେଣି(ପୁନଃ ପୁନଃ ଅଭିବାଦନ କରି)ଯୁହାର, ଯୁହାର, ସାଆନ୍ତେ ଯୁହାର ।

ମଧୁ-

କିରେ ଚନ୍ଦରା, ତୁ ସବୁ ସଜିଲ ସାଜଲ କରି ସାଇଲୁଣି ? ସିଉକାରିଆ ସବୁ ପହଞ୍ଚି ଯିବେ ପରା ? ଦୁଇ ଚାରିଖଣ୍ଡ ସତରଞ୍ଜି ଆଉ ଦୁଇ ତିନିଖଣ୍ଡ କମ୍ବଳ କୋଉଠି କାହା ଘଟି ଥିବ ଖୋଜି ଖାଜି ଆଣ ।

ଚନ୍ଦ୍ର-

ଆଜ୍ଞା, ଆଜ୍ଞା ସାଆନ୍ତେ ସେଥିଲାଗି ସାଆନ୍ତେ ଆପଣ ଭାବନା କରିବେ ନାହିଁ । ସାଆନ୍ତଙ୍କ ପୁଅଙ୍କର ବାହାଘର ହବ, ଆଜ୍ଞା ସିଉକାରିଆଙ୍କ ଲାଗି ବିଛଣା ଦି ଚାରି ଖଣ୍ଡ ଆଜ୍ଞା ଚନ୍ଦ୍ରମଣି ତା'ଘରୁ ଆଣି ପକେଇଦେବ ।

ମଧୁ-

ଆରେ ନୋହିଲେ କିରେ ଚନ୍ଦରା ! ବେସ, ବେସ, ସାବାସ ସାବାସ ! ବୁଝିଲନା ରଘୁନାଥ ଭାଇ, ଚନ୍ଦ୍ରମଣି ଭଳି ବାରିକ ଆଉ ଦୁନିଆରେ କେହି ନ ଥିବ ।

ଚନ୍ଦ୍ର-

ଆଜ୍ଞା, ସବୁ ସାଆନ୍ତଙ୍କ କଲ୍ୟାଣରୁ । ସାଆନ୍ତଙ୍କର ମୁଁ ତିନି ପୁରୁଷର ଚାକର । ସାଆନ୍ତଙ୍କ ଗୁଣ ମୁଁ ମରିଗଲେ ବି ପାସୋରି ପାରିବି ନାହିଁ । ସାଆନ୍ତଙ୍କ ଯୋଗେ ମୋର ବିଲବାଡ଼ି ହଳ ବଳଦ ସବୁ । ସାଆନ୍ତେ ମୁଁ ଦୁହେଁଯାକ ବରାବର ସାଙ୍ଗ ହୋଇ ହଳ ଘେନି ବିଲକୁ ଯାଉଁ । ସାଆନ୍ତେ ଆଗେରେ କାମ ସାରିଦେଇ ମୋ’ ବିଲରେ ଦି ଅଚା ଅଚା ନ ବୁଲେଇଲେ କେବେ ତାଙ୍କ ମନ ବୋଧ ହୁଏନା । ସାଆନ୍ତଙ୍କ ଗୁଣ ଆଉ କ’ଣା ବାହୁନିବି, ସବୁ ସମ୍ପଦ ମୋର ସାଆନ୍ତଙ୍କ ଯୋଗେ ।

ମଧୁ-

ଆରେ ଚୋପ୍ ଚୋପ୍ ସେଗୁଡ଼ାକ ଚନ୍ଦରା କାହିଁକି କହୁଚୁ ।

ଚନ୍ଦ୍ର-

ସାଆନ୍ତେ ସେଗୁଡ଼ାକ କହିବିନାହିଁ ନକହିଲେ ମୋ’ ମୂର୍ଦ୍ଧନା ଫାଟିଯିବ ସେ କଥା ତ ମୁଁ ଚିରଦିନ ଗାଉଥିବି ବାପ ମୋର ଜମିବୋଲି ତିନିଗୁଣ୍ଠ ରଖି ଯାଇଥିଲା ସାଆନ୍ତଙ୍କ କଲ୍ୟାଣରୁ ମୁଁ କୋଉବରଷ ଦୁଇଗୁଣ୍ଠ କୋଉବରଷ ଚାରିଗୁଣ୍ଠ କୋଉବରଷପାଏ କୋଉବରଷ ଦୁଇପା-ଏମିତି ଏମିତିରେ ଏଇକ୍ଷିଣି ଜମିବାଡ଼ି ୧୦ମାଣଯାଏ କଲିଣି, ମୋର ସବୁ ବଢନ୍ତି ସାଆନ୍ତଙ୍କ ସାଙ୍ଗେ ସାଙ୍ଗେ- ସାଆନ୍ତଙ୍କର ବି ଆଗେ ଚାଳିଶ ଗଉଣୀ ପଚାଶ ଗଉଣୀ ଦେଢ଼ି ହଉଥିଲା

 

ମୋରିପାଖରୁ ସାଆନ୍ତଙ୍କର ଏଇକ୍ଷଣି ବଢି ବଢି ପୀଞ୍ଚଭରଣ ବାଇଶ କୋଡ଼ି ଯାଏ ଦେଢ଼ି ହେଲାଣି ପୂର୍ବ ଦେଢ଼ିର ତ ସୁଧ ଗଡ଼ୁଚି ବଢ଼ୁଚି କେ ଜାଣି କେତେଯାଏ ହବ-

ମଧୁ-

(ସ୍ୱର୍ଗତ) ଓଃ ସାଇଲା ସବୁ । (ପ୍ରକାଶ୍ୟେ) ଆରେ ଚନ୍ଦରା ସେଗୁଡାକ ଏଇକ୍ଷଣି କାହିଁକି କହୁଚୁ ।

ଚନ୍ଦ୍ର-

ଆଜ୍ଞା କହିବି ନାହିଁ ? ଆପଣ ମୋର ମୁନିବ, ଆପଣଙ୍କ ଗୁଣ ନ ଗାଇବି ତ ଆଉ କାହା ଗୁଣ ଗାଇବି । ଆପଣଙ୍କ ବଢନ୍ତିକି ମୋ’ ବଢନ୍ତି । ମୁଁ ଚାନ୍ଦିଆ ଥିଲି ଆପଣଙ୍କ କଲ୍ୟାଣରୁ ଚନ୍ଦରା ହେଲି, ଫେର ଏଣିକି ଚନ୍ଦ୍ରମଣି ବାରିକ ହେଲିଣି-। ଆପଣ ମଧୁ ନାଏକ ଥିଲେ, ମଧୁସୂଦନ ନାଏକ ହେଲେ, ଫେର ଏଇକ୍ଷିଣି ମଧୁସୂଦନ ପଟ୍ଟନାୟକ ହେଲେ । ମୋ’ ଉପରେ ଆପଣଙ୍କର ସେମିତି ସୁଦୟା ଅଛି ବୋଲି ଆପଣଙ୍କର ପାହାଚେକୁ ମୋର ପାହାଚେ ବରାବର ଲାଗିରହିଛିନା । ଆପଣଙ୍କ ଗୁଣ ମୁଁ ଫେର ନୁଚେଇ ରଖିବି କୋଉଠି, ଛାତି ଫାଟିଯିବ ।

ମଧୁ-

ଅଗ୍ର ହଉ ହଉ, ହେଇ ମଧ୍ୟସ୍ଥ ଆଇଲେଣି ।

 

(ମଧ୍ୟସ୍ଥ ଶ୍ରୀଧର ଦାସଙ୍କର ପ୍ରବେଶ ଓ ଅଭିବାଦନ)

 

କି ମଧ୍ୟସ୍ଥେ ! ଆଜି ସିଉକାର ଆସିବ ଟି ?

ଶ୍ରୀଧର-

ଆଜ୍ଞା ହଁ କାହିଁକି ନ ଆସିବ । ଖାଲି ଆପଣଙ୍କ ଅନୁମତି ହେଲେ ତ ହେଲା ।

ମଧୁ-

କଣ ହେଲା ଫେର ? ନଗଦ ତିନିହଜାର, ସୁନାର ସାଜେ, ରୁପାର ସାଜେ, ସାଇକଲ ଗୋଟାଏ, ଘୋଡା ଗୋଟାଏ, ଆଉ ପାଲିଙ୍କି ଗୋଟାଏ, ଏଥିରେ ରାଜି ତ ?

ଶ୍ରୀଧର-

ଆଜ୍ଞା ସବୁଥିରେ ରାଜି, କେବଳ ସେହି ତିନି ହଜାର କଥାଟି ଅଡ଼ୁଆ ପଡ଼ିଚି, କହନ୍ତି ଦୁଇ ହଜାରଟି ହେବେ ଆଉ ପାରିବେ ନାହିଁ ।

ମଧୁ-

ଯା, ଯା, ଯା, ବିଦା ହୁଅ ବିଦା ହୁଅ ।

ଶ୍ରୀଧର-

ଆଜ୍ଞା ।

ମଧୁ-

ଆରେ ଯାହୋ, ଆଜ୍ଞା ଆଜ୍ଞା କଥା ପଛେ କହିବି । ଚନ୍ଦ୍ରମଣି ! ଆଙ୍କୁ ବିଦା କର, ଆଗେ ବିଦା କର । ପିଣ୍ଡାରେ ସୁନ୍ଦରଗାଁ ମଧ୍ୟସ୍ଥ ବସିଛନ୍ତି ପରା, ତାଙ୍କୁ ଡାକିଆଣ-

ଚନ୍ଦ୍ର-

ଯା ଯା ମଧ୍ୟସ୍ଥେ, ଥିର ହେଇଁ ଚାଲି ଯା ।

ଶ୍ରୀଧର-

ଆଜ୍ଞା-

ଚନ୍ଦ୍ର-

ଚୋପ୍ ଚୋପ୍ ଆଉ ପାଟି କରନା (ପୃଷ୍ଠରେ ହସ୍ତନିବେଶ ଓ ଉଭୟଙ୍କର ପ୍ରସ୍ଥାନ)-

ମଧୁ-

ଶୁଣୁଚନା ତାଙ୍କ ବିଚାର । ପାଞ୍ଚ ହଜାରକୁ କମେଇ କମେଇ ଆସି ତିନି ହଜାର ହେଲା, ତେବେ ବି ସେଥିରେ ଓଜର;ପୁଅକୁ ପଢ଼େଇ ଗୁଣେଇ ତିନିତିନିଟା ଚାରି ଚାରିଟା ପାସ କରେଇଲି, ଇଏ ବସିଛନ୍ତି ମୋଫତରେ ଗୋଟା ଜୋଇଁ କରିନେବେ; ମାହାଳିଆ ପଡ଼ିଚି-ଆଉ କ’ଣ ।

ପ୍ରାଣ-

ମାଗଣା ଖାଇବାକୁ ସମସ୍ତେ ଖୋଜନ୍ତି ।

ରଘୁ-

ଆଉ କ’ଣ ହେ । ପୁଅଟିଏ ଜନ୍ମ କରିବା ଯେ କି ମିହନ୍ତ, ପୁଣି ତାକୁ ପଢେଇବା ଗୁଣେଇବା ଯେ କି ମିହନ୍ତ, ଜନ୍ମ କରିଚି ସେ ସିନା ବୁଝିବ, ଝୁଅ ଜନ୍ମ କଲା ଵାଲା ତା କୋଉଠୁ ବୁଝିବେ ।

 

(୨ୟ ମଧ୍ୟସ୍ଥ ମକୁନ୍ଦ ଦାସ ଓ ଚନ୍ଦ୍ରମଣି ବାରିକର ପ୍ରବେଶ)

ମଧୁ-

କି ମଧ୍ୟସ୍ଥେ କଣ ବୁଝିଲା ଠିକେ ଠିକେ କହିଯାଅ-ସୁନା ଓ ରୁପାର ଦୁଇଟି ସାଜ, ରାଜିତ-?

ମକୁ-

ହଁ ଦୁଇ ସାଜ କ’ଣ କହୁଛନ୍ତି, ଦେଖିବେ ନାହିଁ ।

ମଧୁ-

ରାସ୍ତାଖରଚ ତିନିହଜାର, ରାଜିତ ?

ମକୁ-

ତିନି ହଜାର ତିନି ହଜାର କାହିଁକି ହଉଚନ୍ତି ଯାହା ମିଳିବ ଆପେ ବୁଝିବେ । ମୋ’ ବିଦାକୀରେ ଏକ ତ୍ରୁଟି କରିବେ ନାହିଁ; ହଁ, ଏତିକି ବେଳରୁ କହି ଦଉଚି ।

ଚନ୍ଦ୍ର-

ମଧ୍ୟସ୍ଥେ । ତୁମେ ଆମ ସାଆନ୍ତଙ୍କୁ ଚିହ୍ନି ପାରୁନାହଁ । ତୁମେ ତାଙ୍କ କଥା ଜାଣିନା-। ସେ ଯେବେ ଦେଇ ବସିବେ ତ ଆଉ କହିବାକୁ ଥିବ ନାହିଁ । ମୋର ଜନମରୁ ଏ ଘରେ ସେବା, ଖାଲି ନଖାଇ ନପୀଇ ମୁଁ ବଢିଛି । ଟୋପା ତୋରାଣିରେ ସାଆନ୍ତଙ୍କର ଧାରୁଆ ହୋଇ ନାହିଁ । ଖାଇଲା ପୀଇଲା ବେଳ ହେଲା ତ ସାଆନ୍ତାଣୀ କବାଟ କିଳିଦେଇ ସାଆନ୍ତଙ୍କ ଲାଗି ପିଣ୍ଡାରେ ତୋରାଣି ବାଢ଼ନ୍ତି । ତାଙ୍କ କଥା କହିଲେ ସାରିବା ନାହିଁ, ତୁମେ ଆଗେ ସାଆନ୍ତଙ୍କ ମନ ନେଇ କାମ କରିସାର, ଦେଲାନେଲା ବେଳକୁ ତୁମେ ଅଛ କି ମୁଁ ଅଛି ।

ମଧୁ-

ତେବେ କ’ଣ ସିଉକାର ଆଜି ଆସିବ ?

ମକୁ-

ଆଜି ଫେର କେମିତି ହବ । ଏଇ ତ ଆପଣଙ୍କ ଯବାବ ପାଇଲି । ମୁଁ ଫେର ଯାଇ କହିବି, ଦିନ ବାର ଧରା ଯିବ, ସିଉକାର ଆସିବ କି !

ମଧୁ-

ତେବେ ଆମକୁ ହଜାର ଟଙ୍କାଟି ବଇନା ଦେଇ ଯାଅ ।

ମକୁ-

କିଛି ଚିନ୍ତା ନାହିଁ, ଯାଉଚି ସେଇ କଥା କହିବି ।

ମଧୁ-

ଶୀଘ୍ର ଯାଅ, ତା ନ ହେଲେ ଆମେ ଅନ୍ୟ ଚେଷ୍ଟା କରିବୁଁ । (ସମସ୍ତଙ୍କର ପ୍ରସ୍ଥାନ)

 

୨ୟ ଦୃଶ୍ୟ

କକ୍ଷ

(ପଦ୍ମନାଭ, ନରହରି, ଶ୍ରୀରାମ, ଗୁରୁଚରଣ ପ୍ରଭୃତି ବନ୍ଧୁଗଣଙ୍କର ପ୍ରବେଶ)

ନର-

well ପଦ୍ମନାଭ । ତୁମର father ତ କ'ଣ ଏପରି ଗୋଟାଏ ଯବାବ ଦେଇ ସାରିଲେଣି । ଏବେ ହେବ କ'ଣ ?

ପଦ୍ମ-

Dam care for such ଯବାବ ।

ଶ୍ରୀରାମ-

Quite so. ଇଏ ଗୋଟା କଥା, ଯେ ବିଭା ହେବ ତାର without consent ରେ ବାପା ଗୋଟା ଯବାବ ଦେଲେ ହୋଇଯିବ । By no means. ସେଟା ବାପାଙ୍କର foolishness ତାର consequence ବାପା ଭୋଗିବେ, ପଦ୍ମନାଭ କ'ଣ କରିବ ।

ଗୁରୁ-

ନିଶ୍ଚୟ । ପଦ୍ମନାଭ କ'ଣ ପଶୁ ହୋଇଚି, ବାପା ଯାହା କହିଦେବେ ସେ ସେଇଆ accept କରିନେବ । ବାପାଙ୍କର ଏତିକି ଟିକିଏ common sense ନାହିଁ ଯେ ବାହା ତ ହେବ ପଦ୍ମନାଭ, ସେ କିପରି wife ଚାହେଁ ତାକୁ ଟିକିଏ ପଚାରି ନିଏଁ ।

ପଦ୍ମ-

I must select my own wife ବାପାଙ୍କ କଥାରେ ମୁଁ ଭୁଲିବାକୁ ଯାଉନାହିଁ । ବାପା has no ଅକ୍ତିଆର in this matter.

ନର-

ବଡ଼ ଲଜ୍ଜାର କଥା । ବୁଢା ଗୁଡ଼ାକ ସବୁଦିନେ ବେକୁବ୍ । ସମାଜଟାକୁ ଏଇ ବୁଢ଼ାଗୁଡ଼ାକ ମିଳି ନଷ୍ଟ କରି ଦେଲେ । ବୁଢ଼ାଗୁଡ଼ାକ ବିଦାୟ ଣ ହେବାପର୍ଯ୍ୟନ୍ତ ସମାଜ କଦାପି ବାଟକୁ ଆସିବ ନାହିଁ । ବୁଢା଼ଶ୍ରେଣୀ ସମ୍ପୂର୍ଣ୍ଣରୂପେ ଲୋପ ନ ହେବାଯାଏ ସମାଜର କୌଣସି ମଙ୍ଗଳ ସାଧନ ହୋଇପାରିବ ନାହିଁ ।

ଗୁରୁ-

ଶୀଘ୍ର ଗୋଟାଏ association start କରି for the present ଏ ବୁଢ଼ାଗୁଡ଼ାଙ୍କ ମୁହଁରେ ତୁଣ୍ଡି ବାନ୍ଧିବାର ଗୋଟାଏ resolution କରି ନ ଦେଲେ ଆଉ ଚଳିହେବ ନାହିଁ ।

ଶ୍ରୀରାମ-

ଆଉ ଗୋଟାଏ definite resolution ଦରକାର ଯେ educated son ମାନଙ୍କ କାର୍ଯ୍ୟରେ uneducated ବାପା's can't interfere.

ପଦ୍ମ-

ଭାରି ଦରକାର, ଭାରି ଦରକାର । Such a resolution immediately necessary. ନ୍ୟାୟ ଅନ୍ୟାୟ ବିଚାର କରିବାର ସେମାନଙ୍କର ଆଦଉ intelligence ନାହିଁ । କେବଳ interfere, interfere .interfere.

ବେହାଗ-ଏକାତାଳା

ଗୀତ

ନ୍ୟାୟ ଯୁଗକୁ ଚାହିଁବା

କିବା ବାୟା କଥାରେ ରହିବା,

ବିଷମ ସମସ୍ୟା ପଡ଼ିଛି ଏବେ

କେଉଁ କଥାଟି କରିବା ।

ବାପା ବୁଦ୍ଧି ଆମ ବୁଦ୍ଧି

ଦୁଇ ବୁଦ୍ଧି ମାପିବା,

ଯେଉଁ ବୁଦ୍ଧି ଚୋଖା ହେବ

ସେହି ବୁଦ୍ଧିକୁ ଥାପିବା ।

ନ୍ୟାୟ ଯୁକ୍ତି ସିଧା ଉକ୍ତି

ପହିଲେ ଗୁଜାରିବା,

ତେବେ ଯେବେ ନ ଶୁଣିବେ

ବାପାପଣରୁ କାଟିବା ।

ଯେବେ ଥିଲେ ପିତା ପୂଜ୍ୟ

ସେ କାଳକୁ ଭୁଲିବା,

ଏ କାଳକୁ ଜ୍ଞାନ ଶକ୍ତି

ସବୁ ଆଗେ ବୁଝିବା ।

ଜନ୍ମଦାତା ବୋଲି ଦାବୀ

ଅମୂଳକ ଜାଣିବା,

ପାଳିବାର ଦାବୀ ସତ୍ୟ

ସେ ସେତିକି ଶୁଝିବା ।

ଶ୍ରୀରାମ-

ପଦ୍ମନାଭର ପିତାଙ୍କର ନଜରଟା କେବଳ ଟଙ୍କା ଉପରେ । Lady ର enlightenment ପ୍ରତି ଆଦଉ ଲକ୍ଷ୍ୟ ନାହିଁ ।

ପଦ୍ମ-

Foolishness, foolishness. seer foolishness.

ନର-

ବୁଢାକୁ ଆଗ୍ରକରି ପଟାଏ ଶିକ୍ଷା ଦେବାକୁ ହେବ । ମୁ ତାର ବ୍ୟବସ୍ଥା କରି ରଖିଲିଣି । He must be taught a good lesson.

ଗୁରୁ-

ପଦ୍ମନାଭର bride ପଦ୍ମନାଭ କୋଉଦିନୁ select କରି ସାରିଲାଣି । କେବଳ ବୁଢାଯୋଗୁରୁ marriage ଟା ହୋଇପାରି ନାହିଁ । କଥାଟା ଉଠିଲାଣି ଯେତେବେଳେ ଆଉ ଅଟକିବ ନାହିଁ, ତଥାଚ ବୁଢାର ମୁହଁଟା ବନ୍ଦ କରିବାକୁ ଗୋଟାଏ ପ୍ରତିକାର କରି ରଖିଲେ ଭଲ ହେବ ।

ଶ୍ରୀରାମ-

ଦେଖ ସମାଜରେ ଗୋଟାଏ ଗଣ୍ଡଗୋଳ ଯେପରି ହୋଇ ନ ଉଠେ ।

ପଦ୍ମ-

Dam care your ସମାଜ ।

(ଦୁଇ ପାର୍ଶ୍ୱରୁ ଦୁଇଜଣ ସଂସ୍କାରକଙ୍କର ପ୍ରବେଶ ଏବଂ ନୃତ୍ୟ ଓ)

ଗୀତ

କଲ୍ୟାଣ-ଦାଦରା ।

ସମାଜକୁ କି ଡର ।

ବିଧବାଙ୍କୁ ଦେବା ପତି,

ସଧବାଙ୍କୁ ସ୍ଵେଛା ଗତି

ଛାଡି ଦେବା ଏଥର ।

ଏ. ବି. ସି. ଡି. ପାଠ ଶିକ୍ଷି ସଭ୍ୟ ହେଲୁଣି ଏଣିକି

ମାତା ଭଗ୍ନୀଙ୍କ ମୁଣ୍ଡରୁ ଓଢଣା

ଫିଟାଇବା ସତ୍ୱର ।

ଏଡୁକେତେଡ୍ କେଡ଼ି ଖୋଜି କହୁଥିବା ଯେ ଇଂରାଜୀ

ପତ୍ନୀ କରିବା ମିଷ୍ଟାର ମିସେସ୍

ହୋଇ ଦେବା ଚକ୍କର ।

ଜାତିଭେଦକୁ ନ ଚାହିଁ ଖାନା ରଖିବ ସଜାଇ

କରିମ ତିହାଡ଼ି ବୁଝିବ ସମାଜ

ବାହାଦୂରୀ ଆମ୍ଭର ।

(ସମସ୍ତଙ୍କର ପ୍ରସ୍ଥାନ)

 

୩ୟ ଦୃଶ୍ୟ

ଅନ୍ତଃପୁର

(ପବିତ୍ରା ଓ ରମାର ପ୍ରବେଶ)

ପବି-

ଘଷି ଗୁଡ଼ାକ ଶୁଖେଇଦେଲି ଷେଣ୍ଢଟା ସବୁ କୁଦେଇ ପକେଇ ଗଲାଣି । ମୁଁ ବେସ୍ତ ହେଇଁ ହେଇଁ ମଲିଣି । ମୋ’ ପାଦକୁ କେମିତି ହାତକୁ ଦିହାତ କରି ପକେଇଲେ ଟିକିଏ ନିଶ୍ୱାସ ମାରିବି ।

ରମା-

(ସ୍ୱଗତ) ଭାଉଜ ବୋଉ ମୋର ମନେ ମନେ ବସି ଉଖୁଡା ଖାଉଚି । ପଦ ବାହା ହବ, ବୋହୁ ଆସିବ, କାମ ଦାମ କରିବ, ଭାଉଜ ବୋଉ ମୋର ହାଉଆ ଖାଇବ ବସି । ମଜା ବୁଝି ନାହିଁ (ପ୍ରକାଶ୍ୟେ) ଭାଉଜ ବୋଉ, ବୋହୁ ଆଇଲେ କଣ ଘଷିପରା ଛଡେଇନବ?

ପବି-

ନାଇଁ ଲୋ ଭଉଣି, ଏ ପୁଅଟା ଲାଗି ମନ ବେସ୍ତ ହେଉଚି । ସବୁବେଳେ ଖାଲି ବାଇଆଙ୍କ ପରି ହେଲା, କ’ଣ କରିବି ।

(ଯୋତା ଓ ସେମିଜ ହସ୍ତେ କୁନ୍ଦର ପ୍ରବେଶ)

କୁନ୍ଦ-

ସାଆନ୍ତାଣୀ ! ଫେର ଏଇକ୍ଷଣି ଅନର୍ଥ ଲାଗିବ, ପୁଅଙ୍କ ଆସିବା ବେଳ ହେଲାଣି-। ତୁମେ ସେମିଜ ଖଣ୍ଡ ଗଳେଇ ପକଉନା, ଯୋତା ଯୋଡ଼ାକ ଗୋଡ଼ରେ ପୁରେଇ ଦଉନା; ଆସି ଦେଖି ପକେଇବେ ତ ବାକୀ ରହିବ ନାହିଁ । ନିଅ ନିଅ ଆଉ ଅନଉଚ କ’ଣ(ପଵିତ୍ରାଙ୍କୁ ସେମିଜ ପିନ୍ଧାଇବା ଉଦ୍ୟମ)

ପବି-

ଓ ହୋ ! ଭଲା କଥା ହେଲା ଆସି, ରହ ଲୋ ଟିକିଏ-

କୁନ୍ଦ-

ଆଉ ରହିବି କ’ଣ ? ହେଇ ଆଇଲେ ଆଇଲେ ପିନ୍ଧ ପିନ୍ଧ ।

ପବି-

(ଲୁଗା ଉପରେ ସେମିଜ ପିନ୍ଧ) ଯୋତା ଗୁଡ଼ାକ ଆଉ ମାତି ପାରିବି ନାହିଁ, ଗୋଡ଼ ଦିଇଟାରେ ଫୁଟୁକା ହେଇ ଘାଆ ହେଇଗଲାଣି, ଭାରି ପୋଡ଼ୁଛି, ଆଉ ପାରିବି ନାହିଁ-

କୁନ୍ଦ-

ଆଗୋ ଇଏ ଫେର କ’ଣ, ପାରିବ ନାହିଁ କହିଲେ କେମିତି ହବ । ପୁଅଙ୍କ କଥା ତ ଜାଣ, ନିଅ ନିଅ ମାଡ଼ ମାଡ଼ ।(ଜୋର ପୂର୍ବକ ଯୋତା ମଡ଼ାଇ ଦେଇ, ଏବଂ ମସ୍ତକରେ ଏକ ଗୋଟି ହ୍ୟାଟ୍ ପିନ୍ଧାଇ ଦେଇ) ସାଆନ୍ତାଣୀ, ଭଲ ମନେଇଛି, ତୁମେ ଟିକିଏ ଟିକିଏ ଚାଲି ଶିଖୁଥା ମୁଁ ଯାଉଚି ଆସେଁ ।

(କୁନ୍ଦର ପ୍ରସ୍ଥାନ)

ରମା-

(ସ୍ୱଗତ) ଭଲ କଲା ହେଲା । ଭଲ ପାଠ ପୁଅ ପଢିଲା ମାକୁ ସୁଆଙ୍ଗ କରି ଛାଡିଲା । ମୁଁ ଯାଉଛି ଲୋ (ପ୍ରସ୍ଥାନ)

ପବି-

ଏ ଟୋକାଟା ମତେ ଏଦିନେ ଏତେ ଅବସ୍ଥା କରୁଚି (ଅତି କଷ୍ଟେ ଛୋଟେଇ ଛୋଟେଇ ଚାଲିବାର ଅଭ୍ୟାସ କରୁ କରୁ ମଧୁସୂଦନଙ୍କର ପ୍ରବେଶ)

ମଧୁ-

(ସଭୟେ କମ୍ପି କମ୍ପି) ଏଁ, ଏଁ, ଆଉଁ ଆଉଁ, ମା ! ମା ! ମା ! ମା ! ମୋତେ ରକ୍ଷା କର, ରକ୍ଷା କର, ରକ୍ଷା କର-

(ଭୂମୀଷ୍ଟ ପ୍ରଣିପାତ ଓ ପଵିତ୍ରାର ପ୍ରସ୍ଥାନ)

ମଧୁ-

(କମ୍ପି କମ୍ପି) ଇରେ-ଚନ୍ଦରା ! ଇରେ-ଚନ୍ଦରା ! ଚନ୍ଦରା-ଚନ୍ଦରା-

(ଚନ୍ଦ୍ରମଣିର ପ୍ରବେଶ)

ଚନ୍ଦ୍ର-

କଣ କଣ, କଣ ସାଆନ୍ତେ । କଣ ହେଲା ! କଣ ହେଲା !(ମଧୂସୂଦନଙ୍କୁ ଧରି) ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ରାମରାମ (ବାରମ୍ବାର ହରିନାମ ଉଚ୍ଚାରଣ କରି ମଧୂସୂଦନଙ୍କୁ ବାରମ୍ବାର ଫୁଙ୍କିବା)

ମଧୁ-

ଚଣ୍ଡୀ, ଚଣ୍ଡୀ, ମଶାଣିଚଣ୍ଡୀ କେମିତି ଆସି ଏଘରେ ବିଶ୍ରାମ କଲାଣି, ପଦ ବୋଉ କୁଆଡ଼ା ଗଲା । ମୁଁ ତ ଭେଟଣା ହୋଇଗଲି !

ଚନ୍ଦ୍ର-

(ବାରମ୍ବାର ଫୁଙ୍କି ଫୁଙ୍କି ଓ ଛାତିକି ଛେପ ପକାଇ) ଡରିଗଲା ସାଆନ୍ତେ ! କିଛି ନାହିଁ କିଛିନାହିଁ । ମୁଁ ଯାଇଁ କଣ୍ଡୁରୀ ଲେଙ୍କା ଗୁଣିଆକୁ ଡାକି ଆଣିବି । ଚାରି କଣରେ ଚାରିଟା ନୁହାକଣ୍ଟା ପୋତି ଦେଇ ଯିବ, ମଶାଣିଚଣ୍ଡୀ ଫଶାଣି ଚଣ୍ଡୀ କୁଆଡ଼େ ଛାଡି ପଳେଇବେ । କିଛି ଚିନ୍ତା ନାହିଁ, ଥୟ ହୁଅ ଥୟ ହୁଅ ।

ମଧୁ-

(ଦୀର୍ଘ ନିଶ୍ୱାସ ଛାଡିଛାଡି) ମୋର ନିଶ୍ୱାସ (ହସ୍ତଦ୍ୱାରା ଇଙ୍ଗିତ କରି) ଘରେ ପଶୁନାହିଁ ।

ଚନ୍ଦ୍ର-

(ଫୁଙ୍କି ଫୁଙ୍କି ସ୍ୱାଗତ) ସାଆନ୍ତକୁ ତ ମୋର ଅସଲ ମଶାଣିଚଣ୍ଡୀ ଗିରାସି ଗଲାଣି (ପ୍ରକାଶ୍ୟେ) ଚାଲ ସାଆନ୍ତେ ବୈଠକ ଘରକୁ, ଟିକିଏ ଶୋଇପଡ଼ (ମଧୂସୂଦନଙ୍କୁ ଘେନି ଚନ୍ଦ୍ରମଣିର ପ୍ରସ୍ଥାନ)

(କୁନ୍ଦର ପ୍ରବେଶ)

କୁନ୍ଦ-

(ହସି ହସି) ସାଆନ୍ତେ କୁଆଡ଼େ ଗଲେ ଆଉ ମୋ’ ସାଆନ୍ତାଣୀ କୁଆଡ଼େ ଗଲେ । ଭଲା ଯୁଗ ହେଲା । ବୁଢ଼ୀଦିନେ ମା'କୁ ପୁଅ ବିବୀ କରେଇବ-କ'ଣ ଶୁଣିବ-

ଗୀତ

କାଳ କି ହେଲା ଅକାଳ

ଯେତେ ସବୁ ପାଠପଢି

ହେଲେ ବିଟାଳ ।

ଦେଖ ପୁଣି ଆହୁରି ମଜା

ବୁଢାଓଲୁ ବାପା ଅଜା

କଣରେ ଲୁଚିଲେ ପୁଏ

ବୋହୁଏ ବାଚାଳ ।

(ପ୍ରସ୍ଥାନ)

 

୪ର୍ଥ ଦୃଶ୍ୟ

ପଟ୍ଟନାୟକଙ୍କ ଚୌପାଢ଼ୀ

(ଚନ୍ଦ୍ରମଣି ବାରିକ କାନ୍ଦି ୨ ପ୍ରବେଶ)

ଚନ୍ଦ୍ର-

ଓହୋ, ମୋ’ ସାଆନ୍ତଙ୍କ ଦିହ ଭାରି ବେସ୍ତ । ମଶାଣିଚଣ୍ଡୀ ତ ଡଙ୍କ ମୋଡ଼ି ଦେଇଥିଲା । ମତେ ସବୁ ମିଳିବ, ଏଭଳିଆ ସାଆନ୍ତ ଆଉ ମିଳିବ ନାହିଁ । ଓହୋ-! ହେ ଠାକୁରେ ମୋ’ ସାଆନ୍ତଙ୍କୁ ଭଲ କରିଦିଅ ।

(କହ୍ନେଇ ଦାସ ମଧ୍ୟସ୍ଥର ପ୍ରବେଶ)

କହ୍ନେଇ-

କି ବାରିକେ ବେସ୍ତ ହଉଚ କାହିଁକି । ସାଆନ୍ତଙ୍କ ଦିହ କ’ଣ ହେଇଚି କି ?

ଚନ୍ଦ୍ର-

ଆରେ ନାହିଁ ହୋ ସାଆନ୍ତଙ୍କ ଦିହ କାହିଁକି କ'ଣ ହବ, ଆମେ ବେସ୍ତ କାହିଁକି ହବୁଁ । ତେମେ କ'ଣ କରି ଆଇଲ ଆଗେ କହିବଟି ।

କହ୍ନେଇ-

ଏ ପର୍ଯ୍ୟନ୍ତ ଛିଡ଼ିନାହିଁ । ସାତ ହଜାର ଯାଏଁ ରାଜି ହେଲାଣି ।

ଚନ୍ଦ୍ର-

ସାତହଜାର ଦେବାକୁ ରାଜି ହେଲାଣି ତ ? ସାଆନ୍ତଙ୍କୁ ଡାକିଆଣେ ତେବେ, ତେମେ ବସ, ଭଲ କରି ବସ । (ସ୍ୱଗତ) ସାଆନ୍ତ ମୋର ଏଇକ୍ଷଣି ସୁନୀଲ କ୍ଷଣି ଝାଡ଼ିଝୁଡ଼ି ହୋଇ ଊଠିବେ ପରା । ଡାଆଁଣୀ ଯୋଗନୀ ମଶାଣିଚଣ୍ଡୀ କୁଆଡ଼େ ଛାଡି ପଳେଇବେ । (ପ୍ରସ୍ଥାନ)

କହ୍ନେଇ-

ବୁଢା ଭଲ ବେପାରଟାଏ ଖଞ୍ଜି ଦେଇଚି । ପୁଅବେପାର ଠୂଉଁ ବଳି ଆଉ ବେପାର ନାହିଁ । ଭାରି ଲାଭ । ବୁଢା ବିଚାର କରିଚି ଏଇଥିରେ କୋଠାବାଡି ଜମିଦାରୀ କରିନେବ ।

 

(ମଧୁସୂଦନ ଓ ଚନ୍ଦ୍ରମଣିର ପ୍ରବେଶ)

ମଧୁ-

ହରେକୃଷ୍ଣ, ହରେକୃଷ୍ଣ, ହରେକୃଷ୍ଣ, ହରେକୃଷ୍ଣ, ମଧ୍ୟସ୍ଥେ ଆଇଲ ? କ'ଣ ହେଲା କୁହ ।

କହ୍ନେଇ-

ଆଜ୍ଞା ସାତ ହଜାରରେ ମଳି ଧୂଳି ନାହିଁ । ଆଉ ବେଶି କଥା ଲଗେଇଚି ଯାହା ହବ । ମୋ’ କଥା ଏକା ବିଚାର କରିବେ ।

ମଧୁ-

ହଁ ହଁ ସେ କଥା ଆଉ କହିବାକୁ ହବନାହିଁ ।

ଚନ୍ଦ୍ର-

ଓଃ ମଧ୍ୟେସ୍ଥେ, ତୁମକୁ କହିଚି ପରା ସେ କଥା ଆଉ କାହିଁକି ମୁଁହରେ ଧରୁଚ, ଯାହା ପାଇବ ପାଇବ ।

ମଧୁ-

ଆଉ ଗହଣା ଗାଣ୍ଠି, ସାଇକଳ ?

କହ୍ନେଇ-

ସେ କଥା ତ ମୂଳୁରୁ ହେଇଚି, ଆପଣ ଯାହା କହିଛନ୍ତି ତା'ଠାରୁ ବେଶି ପାଇବେ କମ୍ ହବ ନାହିଁ ।

ମଧୁ-

ତେବେ ଏଇ ପକାଜବାବ ହେଲା, ଯାଅ । ବାହାଘରର ଦିନ ଠିକଣା କରି ଟଙ୍କାକଉଡ଼ି ଘେନିଆସ ।

କହ୍ନେ-

ହଉ ତେବେ ଯାଉଚି (ଅଭିବାଦନ ଓ ପ୍ରସ୍ଥାନ)

ମଧୁ-

ଚନ୍ଦରା ! ଦେଲାଵାଲା ଭଗବାନ୍ । ହରେକୃଷ୍ଣ, ହରେକୃଷ୍ଣ ।

(ଉପବେଶନ)

ଚନ୍ଦ୍ର-

ଆଜ୍ଞା ଠିକ୍ । ଦେଲାଵାଲା ଭଗବାନ୍ । ନେଲା ଵାଲା ତ ଏକା ଆପଣ । ଆଉ ଫେର ଗୋଟା କେହି ପୁଅ ଏମିତି ଜନ୍ମ ହବ କି

(ଉପବେଶନ)

ମଧୁ-

ଚନ୍ଦରା ! ଏ ସତ ହଜାରଟି ଆସିଗଲେ କରଜାଟଙ୍କା ଯାହାର ଯାହା ବାକୀ ଅଛି ଆଗେ ଦେଇଦବ ।

ଚନ୍ଦ୍ର-

ଆଜ୍ଞା ମୋ’ ଧାନ କେଇ ଭରଣ-

ମଧୁ-

ଓଃ କାହିଁକି ସେ କଥା କହୁଚୁ । ତ କୁ ବି ଦେଇଦବା । ଏ ଘର କେଇ ବଖରା ଧୂଳିଆ ପିଟିଦବା ।

ଚନ୍ଦ୍ର-

ଆଜ୍ଞା ଭଲ ହବ, ମୋ’ ଧନ ସେତିକି ଦେଇଦେଲେ ଆଉ କିଛି କୁଆଡୁ ଦେଣା ନ ଥିବ । ସାଆନ୍ତ, ଦିହ ଟିକିଏ ଉଣା ଲାଗୁଛି ? ଅଫିମ ଟିକିଏ ବେଶୀ ଦେଇଥିଲି । ନିଶା ହେଲା କି ?

ମଧୁ-

ନାହିଁ ଠିକ୍ ଅଛି । ଦେହ ଉସୁଆସ ଲାଗୁଛି । ଏ ମଶାଣିଚଣ୍ଡୀ-

ଚନ୍ଦ୍ର-

ସାଆନ୍ତ ଆଉ ତା ନା ଧର ନା । ମୁଁ ତା କିମିଆଁ କରିସାଇଲିଣି । ଆଉ ଫେର ସେ ଏ ଚକଡ଼ା ମାଡ଼ିବ ନାହିଁ । କଲି ଟିକିଏ ଦଳିବି ?

ମଧୁ-

ଆଛା ଦଳ । (ଚନ୍ଦ୍ରମଣିତ, ଗଞ୍ଜମର୍ଦ୍ଦନ ରଘୁନାଥ ଓ ପ୍ରାଣକୃଷ୍ଣଙ୍କର ପ୍ରବେଶ) ଆସ ଆସ ପାଣୁଭାଇ, ଆସ ରଘୁଭାଇ । ବସ ବସ ବସ । ତୁମକୁ କେତେ ଖୋଜୁଥିଲି । ପ୍ରାଣକୃଷ୍ଣ ଓ ରଘୁନାଥଙ୍କର ଉପବେଶନ ସମସ୍ତଙ୍କର ଗଞ୍ଜାସେବନ)

ପ୍ରାଣ-

ଆମେ ତ ଠିକ୍ ବେଳରେ ପହଞ୍ଚି ଯାଇଚୁଁ ।

ପ୍ରାଣ-

ଚନ୍ଦ୍ରମଣି ! ଏ ଯୋଗକୁ ଗୋଟିଏ ଭଜନ ନ ହେଲେ ଆଉ ହଉ ନାହିଁ ।

ରଘୁ-

ହଁ, ହଁ,-ଚନ୍ଦ୍ରମଣି ଗୋଟିଏ ହେଇଁଯାଉ ।

ଚନ୍ଦ୍ର-

ଗୀତ

(କୀର୍ତ୍ତନ)

ଏ ଭବସଂସାରୁ                  ମାୟାବନ୍ଧନରୁ

ଲଭିବାକୁ ପରିତ୍ରାଣ

ସନ୍ଧ୍ୟା ସକାଳରେ             ଲଭ କୃଷ୍ଣସେବା

ପ୍ରଫୁଲ୍ଲ ହୋଇବ ପ୍ରାଣ ।

 

ବଡ ସୂକ୍ଷ୍ମବିଧି,

ହେଳେ ହେବ ସବୁ ବାଞ୍ଛାସିଦ୍ଧି ।

 

ସେ କାଳ ଶ୍ରୀକୃଷ୍ଣ             ଥିଲେ ମହାଦୁଷ୍ଟ

ଏ କୃଷ୍ଣ ନୋହେ ସେପରି,

ନିଜ ଭକ୍ତଗଣେ ନ କରେ ଛଳନା

ସାଦରେ ନିଏ ଆଦରି ।

 

(ଥରେ ଖାଲି) ପ୍ରେମ ଲାଗିଗଲେ

(ଯେତେ) ଛଡ଼ାଇଲେ ସେ ନ ଛାଡ଼େ ଭଲେ ।

 

(ସେହି) ପ୍ରେମେ ହୋଇ ଭୋଳ ଜଟାରେ ଅନଳ

ଲଗାଇ ଯେବେ ଶିଖିଵ,

ଅନିତ୍ୟ ସମ୍ପଦ                   ଯେତେ ଯାହା ଥିବ

(ଚାହୁଁ ଚାହୁଁ) ଧୁମ ହୋଇ ଉଡ଼ିଯିବ ।

 

(ସ୍ୱୟଂ) ବ୍ରହ୍ମା ଅହର୍ନିଶି

ବିରାଜିବେ ତବ ନେତ୍ରେ ଆସି ।

 

ଘୁଞ୍ଚିଯିବ ଧନ                   ମନ ଅଭିଳାଷ

ଯଶ ଅପଯଶ ଜ୍ଞାନ,

ଯାହା ଯହୁଁ ମିଳି                   କୃଷ୍ଣ ପଦେ ଢାଳି

କୃଷ୍ଣ ପଦେ ରଖ ଧ୍ୟାନ ।

 

ପ୍ରେମେ ଢଳି ଢଳି

ଭାବପାରାବାର ଯାଅ ତରି ।

(ମକୁନ୍ଦ ଦାସ ମଧ୍ୟସ୍ଥ ଓ ଅନ୍ୟ ଦୁଇଜଣଙ୍କର ପ୍ରବେଶ)

ମକୁ-

କି ହୋ ପଟନାହାକେ ଏଇ କି ଧପାବାଜି କଥା ଏ ? ହଜାର ଟଙ୍କା ବଇନା ନେଇ ଫେର ଏଣେ ତେଣେ କାହିଁକି ନଡ଼ବଡ଼ ହଉଚ ? ଯେବେ ନ କରିବାର କଥା ତେବେ ସେ ଭଲ ଲୋକ, ତାଙ୍କ ଟଙ୍କାଟି ଚୂପ କରି ଫେରେଇ ଦିଅ, ଆଉ କଥା ବଢା ନା ।

ମଧୁ-

ନାହିଁ ନାହିଁ ମଧ୍ୟସ୍ଥେ କିଛି ମନେ କରିବ ନାହିଁ । ସେ କଥା କିଛି ନୁହେଁ ।

୧ମ ବ୍ୟକ୍ତି-

(ସକ୍ରୋଧେ) କ'ଣ କିଛି ନୁହେଁ । ଜୁଆଚୋର, ଧପାବାଜ, ବଦ୍ ମାସ୍, ଡକାଏତ୍ ଟଙ୍କା ପକା ନ ହେଲେ ଚାଲିଲି ଅବି ଥାନାକୁ । (ପ୍ରସ୍ଥାନୋଦ୍ୟମ)

ମଧୁ-

ତମ ଟଙ୍କା ଆମେ କାହିଁକି ରଖିବୁ । ଶୁଣ, ଶୁଣ, ଶୁଣ ।

ଚନ୍ଦ୍ର-

(ଅତି ବ୍ୟସ୍ତଭାବେ) ସାଆନ୍ତ, ସାଆନ୍ତ, ଦେଇପକା, ଦେଇପକା । ଆମର ଟଙ୍କା କ'ଣ ହବ । ଆମର ଟଙ୍କା କ'ଣ ହବ । ବାବୁ ବାବୁ ଫେରି ଆସନ୍ତୁ, ଫେରି ଆସନ୍ତୁ, ଆମ ସାଆନ୍ତ ଟଙ୍କାରଙ୍କ ନୁହନ୍ତି । ଟଙ୍କା ନେବେ ଫେରିଆସନ୍ତୁ ।

ମଧୁ-

ଚନ୍ଦରା, ଟଙ୍କା ଆଣିଦେଇ ଦେ ।

ଚନ୍ଦ୍ର-

ହଁ ସାଆନ୍ତ ମୁ ଆଣେ (ଚନ୍ଦ୍ରମଣିର ପ୍ରସ୍ଥାନ)

ମଧୁ-

ଆମେ ଆପଣଙ୍କ ଟଙ୍କା କାହିଁକି ରଖିବୁଁ । ଆଉ ଆଡ଼େତ ପକ୍କା ଜବାବ ହୋଇନାହିଁ, ଜବାବ ଦେଇଥିଲେ ଆପଣଙ୍କୁ ଡକେଇ ଆଣି ଆପଣଙ୍କ ଟଙ୍କା ଦେଇ ଦେଇଥାନ୍ତୁ । (ଚନ୍ଦ୍ରମଣିର ଟଙ୍କାସହ ପ୍ରବେଶ)

ଚନ୍ଦ୍ର-

ନିଅ ନିଅ ନିଅ ସେ ଟଙ୍କା ନିଅ । (ଟଙ୍କା ପ୍ରଦାନ)

ମକୁ-

ଆପଣଙ୍କ ଭଲଲୋକି ଜଣାଗଲା ଆମେ ଯାଉଚୁଁ ।

(ସମସ୍ତଙ୍କର ପ୍ରସ୍ଥାନ)

 

୫ମ ଦୃଶ୍ୟ

ବୈଠକଖାନା

(ନରହରି ବାବୁ ଏବଂ ଏକଜଣ ଗାୟକ ଉପବିଷ୍ଟ)

ନର-

ଆଜି ଚାରିଟା ବେଳକୁ Meeting ଅଛି ।

 

(ପଦ୍ମନାଭ ବାବୁ, ଗୁରୁଚରଣବାବୁ ଓ ଶ୍ରୀରାମବାବୁମାନଙ୍କର ପ୍ରବେଶ ଏବଂ ପରସ୍ପର କର ମର୍ଦ୍ଦନ ଇତ୍ୟାଦି ଦ୍ୱାରା ସମ୍ଭାଷଣ)

ପଦ୍ମ-

ଚାଲଯିବା, ଆଉ ଡେରି କାହିଁକି ?

ନର-

Time ହୋଇନାହିଁ, One hour more.

ଶ୍ରୀରା-

ଟିକିଏ ଆଗରୁ ଯିବାକୁ ହେବ । Canvas କରିବାକୁ ହେବ Resolution ଦୁଇଟା ଯେପରି Pass କରି ନେବା ନା ।

ପଦ୍ମ-

ମୁଁ ସ୍ତ୍ରୀ ସ୍ୱାଧୀନତା ସମ୍ବନ୍ଧେ ଗୋଟାଏ Speech ଦେବି ।

ନର-

ଦରକାର, ବଡ଼ ଦରକାର । ସେମାନେ ସମାଜରେ ସବୁ ସ୍ଥାନରେ equal rights ପାଇବା ଉଚିତ ।

ଗୁରୁ-

Quite so. ଆଉ ଏ ସମାଜର nasty system ଗୁଡିକ କ୍ରମେ କ୍ରମେ remove କରିବାକୁ ହେବ । ପଦ୍ମନାଭ ବିବାହ ବେଳକୁ new system ଗୁଡିକ introduce ହୋଇଯିବା ଦରକାର ।

ଶ୍ରୀରାମ-

ବିବାହ କଥା କେତେ ଦୂର ଗଲା ?

ନର-

ସେ ସବୁ ଠିକ୍ ଠାକ ହୋଇ ରହିଅଛି । Bride ଆଉ ତାର College friends ସମସ୍ତେ ରାଜି । ଏଣେ ବୁଢାବି ଫାନ୍ଦରେ ପଡିଲେଣି । ଆଗେ ପାଞ୍ଚହଜାର ଗଣୁଥିଲେ, ବର୍ତ୍ତମାନ ସାତହଜାର ଗଣିଲେଣି ।

ଗୁରୁ-

ଚାଲ ଯିବା ଆଉ ଡେରି କରନା ।

ନର-

ହଁ ଯିବା, ଯଥେଷ୍ଟ time ଅଛି । ଜଣେ excellent Musician ଆସିଛନ୍ତି, ଗୋଟାଏ ଗୀତ ଶୁଣ-ଯିବା । (ଗାୟକଙ୍କ ପ୍ରତି) ଗାଉନ୍ତୁ, ଗୋଟିଏ ଗୀତ ଗାଇବେ regarding the present society.

ଗୀତ

ଝିଞ୍ଜିଟ-ଦାଦରା ।

ନରନାରୀଙ୍କ କଜିଆ ଗୋଳ ମୀମାଂସା କର,

ବଢି ବଢିକା କିପାଁ ଶେଷେ ଭାଙ୍ଗିବ ଘର ।

ନର ବୋଲନ୍ତି ଆମ୍ଭେ ବଡ଼ ଥିବୁଁ ଆଗରେ,

ନାରୀ ବୋଲନ୍ତି ଆମ୍ଭେ ଉଣା କେଉଁ ଗୁଣରେ,

ଆମ୍ଭେ କହୁଁ କେହି କାହାକୁ ନୁହନ୍ତି ସାନ,

ବୁଝି ବସିଲେ ନର ନାରୀ ଦୁହେଁ ସମାନ;

ନରଜାତିଙ୍କ ଅବିଚାର

ମାଡ଼ି ବସିଛ ଆଗ ଦୁଆର,

କବାଟ କୋଣରେ ଲୁଚି ରହ ଏଥର,

ଦାଣ୍ଡପିଣ୍ଡା ଏବେ ଏଣିକି ରମଣୀଙ୍କର ।

ନାରୀ ବୋଲନ୍ତି ରନ୍ଧା ବଢ଼ା ଦୁଆର ଘର

ଲିପା ପୋଛା ବଟା ଘଷା ଜିରା ବେସର,

କରି ଆସିଲୁଁ ଏତେ କାଳ ଆଉ ନ କରୁଁ,

ଦିନାକେତେ ଘରୁ ବାହାରି ପଦାରେ ଚରୁଁ,

କିଏ ଭାଙ୍ଗିବ ଏ କଥାକୁ

ହାଣ କୁରାଢ଼ି ଆଣ ମଥାକୁ,

ଝକ୍‌ମାରି ଏ ସକଳ କରିବେ ନର

ଘର କରିବା ବିଚାର ଯେବେ ଥିବ ତାଙ୍କର ।

ଆଉ ଗୋଟିଏ ଭାରି ଓଜର ରମଣୀଙ୍କର,

ପିଲା ପ୍ରସବ ଝୁଙ୍କିଯାକ ସବୁ ଆମ୍ଭର,

ସେ ସେତିକି ବାଣ୍ଟକୁଣ୍ଟ ନ ହେବ ଯେବେ,

ଏ କଜିଆ ନ ମେଣ୍ଟିବ କଦାପି କେବେ,

ଏ ଆମ୍ଭର କାଜି ବିଚାର,

ଫିକର କର ଯେ ଯାହାର,

ନାରୀମାନେ ଝିଅ ପ୍ରସବ ଥାଉ ତୁମ୍ଭର

ପୁଅମାନଙ୍କୁ ପୁରୁଷେ ଏବେ ପ୍ରସବ କର ।

(ପଟକ୍ଷେପ)

 

ଦ୍ଵିତୀୟ ଅଭିନୟ

ସୂଚୀ

୧ମ ଦୃଶ୍ୟ

୨ୟ ଦୃଶ୍ୟ

୩ୟ ଦୃଶ୍ୟ

୪ର୍ଥ ଦୃଶ୍ୟ

 

୧ମ ଦୃଶ୍ୟ

ପଟ୍ଟନାୟକଙ୍କ ଚୌପାଢୀ

(ଚନ୍ଦ୍ରମଣିର ପ୍ରବେଶ)

ଚନ୍ଦ୍ର-

ସାଆନ୍ତେ କୁଆଡେ ଗଲେ । ଏଇକ୍ଷଣି ବାହାଘର ଗଡ଼ବଡ଼ିରେ ଆଉ କିଛି ଠିକଣା ରହିପାରୁ ନାହିଁ । ସାଆନ୍ତେ ଦି'ହଜାରଟି କରଜ ଆଣିଲେ । ବନ ରୋଷନି ଖୁବ୍ ସାଜିଲି ହେଇଚି । କନ୍ୟାବାପ ଏ ପର୍ଯ୍ୟନ୍ତ ପଇସାଟିଏ ଦେଲା ନାହିଁ । କହିଲା ଜଣଙ୍କର ବଇନା ଫେରେଇଚ, ମୋତେ କାଳେ ହଇରାଣ କରିବ । ବର ନ ପହଞ୍ଚିଲେ ଏକ ପଇସା ଦେବି ନାହିଁ । ସାଆନ୍ତେ ଆମର ଖୁବ୍-

(ନ୍ୟେପଥ୍ୟରୁ ଚନ୍ଦରାକୁ ଡାକି ଡାକି ମଧୁସୂଦନଙ୍କର ପ୍ରବେଶ)

ଗୀତ

ଝିଞ୍ଜିଟ-ଯତ୍

ଆମ୍ଭଠାରୁ ସୁଖୀ କିଏ ଆନ,

ଭଟା ମାଟିଟିକ                   ବନ୍ଧକ ପକାଇ

ଚଢି ବୁଲୁଥାଉଁ ତାମଯାନ ।

 

ଜମି ବାଡ଼ି ଯାହା ଥିଲା ବିକି ଭାଙ୍ଗି

ରଖିଅଛୁଁ ନିଜ କୁଳମାନ,

ପେଟ ନିଅଣ୍ଟକୁ                   ସାଉ ଘର ଖୋଜି

ଦେଢ଼ି ହିସାବରେ ଖାଉଁ ଧାନ ।

 

ଝିଅ ପୁଅଙ୍କର                   ବାହା ନିମିତ୍ତରେ

ଜଗାଇ ରଖିଛୁଁ ନିଜ ଟାଣ,

ଜମିଦାରୀ ମକ-                   ଜମିକୁ ଛଡ଼ାଇ

ଫୁଟାଇଲୁଁ କେତେଜାତି ବଣ ।

 

ଲାଖରାଜି ଖାନା-             ବାଡ଼ି ବୁଡ଼ି ଯାଉ

ଲମ୍ବ ପିନ୍ଧାଟି ନ ହେଉ ସାନ,

ବାହା ବାହା କେହି             କହୁ ବା ନ କହୁ

ଆମ୍ଭ ଗୁଣ ଆମ୍ଭେ କରୁଁ ଗାନ ।

 

ଋଣ କଉଡ଼ିରେ                   ମଖଣ୍ଡି ମଧୁର

କୃଷ୍ଣସେବା କରେ ଧୈର୍ଯ୍ୟ ଦାନ,

ଧୂମ୍ର ପ୍ରସାଦରେ                   ଜଗତ ଜଞ୍ଜାଳ

ଉଡ଼ିଯାଇ ମିଳେ ଦିବ୍ୟ ଜ୍ଞାନ ।

 

(ନ୍ୟେପଥ୍ୟରୁ ଚନ୍ଦରାକୁ ଡାକି ଡାକି

ମଧୁସୂଦନଙ୍କର ପ୍ରବେଶ)

 

ଚନ୍ଦ୍ର-

ଆଜ୍ଞା କଣ କହୁଚନ୍ତି ?

ମଧୁ-

କିରେ କଣ ହେଲା । ଓହୋ, ଏ ଗଉଡ଼ ଭଣ୍ଡାରି ଗୁଡ଼ାକ ମତେ ନାକେରେ କନ୍ଦେଇ ସାଇଲେଣି । ପିଲାଏ ଯାହା କହୁଛନ୍ତି ମିଛ ନୁହେଁ । ପାଲିକି ସୁଆରି ସବୁ ବନ୍ଦ କରିଦିଅ । ଭଲ କହୁଚନ୍ତି-ସେ ଭଲ କହୁଚନ୍ତି । ମୁଁ ଏଥିରେ ପଡ଼ି ନାକ କାନ ମୋଡି ହେଲାଣି । ଆଉ କେବେ ଏଥିରେ ପଶିବ ନାହିଁ । ଯାହା ହେଲା ଏଇଥରକ । ଚନ୍ଦରା, ଚନ୍ଦରା ।

ଚନ୍ଦ-

ଆଜ୍ଞା କ'ଣ କହୁଚନ୍ତି ?

ମଧୁ-

କିରେ କୁଣିଆ ସୁଆରି ସବୁ ଉଠିଗଲାଟି ?

ଚନ୍ଦ୍ର-

ଆଜ୍ଞା ହଁ ସବୁ ଗଲାଣି, ଖାଲି ଆପଣଙ୍କ ସୁଆରି ଅଛି ।

ମଧୁ-

ଫୁଲ ବାଣ ?-

ଚନ୍ଦ୍ର-

ସବୁ ଗଲେଣି । ଆପଣ ଆସନ୍ତୁ

ମଧୁ-

କିରେ ମୋ’ ଲାଗି ମଠାଯୋଡ଼େ କୋଉଠୁ ପାଇଲୁ ?

ଚନ୍ଦ୍ର-

ଆଉ ପାଇବି କୋଉଠୁ, ମୋରି ଯୋଡ଼େ ଥିଲା ସେଇଆକୁ ବାନ୍ଧିଚି ।

ମଧୁ-

ତୋରି ଥିଲା ? ଆଛା ଆଛା, ବେସ ବେସ । ଚାଲ ଯିବା ।

 

(ଉଭୟଙ୍କର ପ୍ରସ୍ଥାନ)

 

୨ୟ ଦୃଶ୍ୟ

କାନ୍ୟକର୍ତ୍ତା ଦୀନବନ୍ଧୁ ଚଉଧୁରୀଙ୍କ ଗୃହ ।

(ରମଣୀଗଣଙ୍କର ପ୍ରବେଶ)

ଗୀତ

ଆସ ଲୋ ଆସ ଦେଖିବା ବର

ବାହାଘର ଭାରି ହରବର ।

ପିଲାଟିଦିନରୁ ପାଳି ପାଳି ଝୁଅ

ଘେନି ପଳାଇବ ପର ।

ବାହାଘର ବିଧି ଉଠି ଯାନ୍ତା

କାନ୍ଦ ବୋବ କିଛି ନ ରହନ୍ତା

ସୁଖେ ସଂସାର କରନ୍ତେ

ନ ଖୋଜନ୍ତେ ପରଘର ।

(ପ୍ରସ୍ଥାନ)

(ନ୍ୟେପଥ୍ୟେ ବାଦ୍ୟନାଦ ଓ ଆତସବାଜିର ଶବ୍ଦ । ଶଙ୍ଖନାଦ ଓ ହୁଳୁଧ୍ୱନି । ବର, ବରଯାତ୍ରିଗଣ, ମଧୁସୂଦନ, ନରହରି,ଚନ୍ଦ୍ରମଣି, ପୁରୋହିତ ଓ ଜ୍ୟୋତିଷ ଆଦି ଏବଂ ଦୀନବନ୍ଧୁ ଚଉଧୁରୀ ଓ ଅନ୍ୟ କନ୍ୟାପକ୍ଷମାନଙ୍କର ପ୍ରବେଶ ଓ ଜ୍ୟୋତିଷଙ୍କର ମଙ୍ଗଳସ୍ତୁତି ପାଠ । କନ୍ୟାପକ୍ଷମାନଙ୍କ ଦ୍ୱାରା ବରଯାତ୍ରିମାନଙ୍କର ଅଭ୍ୟର୍ଥନା ଓ ମଧୁସୂଦନଙ୍କ ବ୍ୟତୀତ ଅନ୍ୟ ବରଯାତ୍ରିଙ୍କର ଯଥା ଯଥା ସ୍ଥାନେ ଉପବେଶନ ।)

ମଧୁ-

ମଧ୍ୟସ୍ଥେ, ହୋ ମଧ୍ୟସ୍ଥେ, ମଧ୍ୟସ୍ଥ କୁଆଡ଼େ ଗଲେ ।

ଦୀନ-

ଆପଣ ଚରଣ ଧୌତ କରନ୍ତୁ । ମଧ୍ୟସ୍ଥେ ଅଛନ୍ତି, ଆସୁଚନ୍ତି ।

ମଧୁ-

ଚନ୍ଦରା, ଚନ୍ଦରା, ଆରେ ସେ ମଧ୍ୟସ୍ଥ କୁଆଡ଼େ ଗଲା ତାକୁ ଡାକ ।

ଦୀନ-

ଆପଣ ଚରଣ ଧୌତ କରନ୍ତୁ ।

ମଧୁ-

ଆରେ ରଖିଦିଅ ତମ ଚରଣ ଧୌତ । ଟଙ୍କାର ଦେଖାନାହିଁ-ଆଗେ ଚରଣ ଧୌତ କର । ସେ ଆଜି ବଦମାସ୍, ଜୂଆଚୋର ମଧ୍ୟସ୍ଥ କୁଆଡ଼େ ଗଲା । ତାକୁ ମୋ’ କତିକି ଡାକି ଆଣରେ ଚନ୍ଦରା । ଚନ୍ଦରା କୁଆଡ଼େ ଗଲୁରେ ଚନ୍ଦରା ।

ଦୀନ-

ଟଙ୍କା ଦଉଚି । ବ୍ୟସ୍ତ କାହିଁକି ହଉଚନ୍ତି ।

ମଧୁ-

ଟଙ୍କା, ଟଙ୍କା, ଆଗେ ଟଙ୍କାଟି ଥୁଅ ପଛେ ଯାଇ ଯୋଉ କଥା ।

ଦୀନ-

ହଉ ଆସନ୍ତୁ, ଆଗେ ଟଙ୍କା ଦଉଚି ।

ମଧୁ-

ସତ ହଜାର ଟଙ୍କା, ସାତ ହଜାର, ଶୁଭୁଚିଟି ?

ଦୀନ-

ହଁ ସାତହଜାର । ଆସନ୍ତୁ ଗଣିନେବେ । ବର ବେଦିକି ଯାଉନ୍ତୁ ?

ମଧୁ-

ସେ କଥା ହବ ନାହିଁ । ଆଗେ ଟଙ୍କା, ଟଙ୍କା ଗଣି ନ ସାଚିବାଯାଏ କିଛି ହବ ନାହିଁ । ଚନ୍ଦରା ମୋ’ ସାଙ୍ଗତେ ଆ ।

(ମଧୁସୂଦନ, ଦୀନବନ୍ଧୁ ଓ ଚନ୍ଦ୍ରମଣିର ପ୍ରସ୍ଥାନ)

(ନର୍ତ୍ତକୀମାନଙ୍କର ପ୍ରବେଶ)-

ଗୀତ

ଝିଞ୍ଜିଟ-ଦାଦରା ।

ଆମର ସବୁ

ଖୋଲଟା ପାଠକୁ ଓଲଟା ହିସାବ

ଓଲଟା ବୁଝାମଣା,

ଆମେ ସବୁ

ଅନ୍ଧାରରେ ଦେଖୁଁ କୋଶକ ବାଟରୁ

ଆଲୁଅରେ ହେଉଁ ବଣା ।

ଆମ୍ଭେ

ଭଲ ନୟନରେ କୋଲପି ଲଗାଇ

ଆପେ ଆପେ ହେଉଁ କଣା,

ପୁଣି

ଓଲଟା ବୁଦ୍ଧିରେ ତୁଚ୍ଛା ଚଷୁ ଭରି

ରାତି ଦିନ ପେଲୁଁ ଘଣା ।

 

ଆମ୍ଭେ

ଅତି ଅଭିମାନେ ଆପଣା ଗାଲରେ

ଆପେ ଖାଉଁ ଚଟକଣା,

ପୁଣି

ନିଜ ଗୋଡ଼ତଳେ ନିଜ କୋଦାଳରେ

ନିଜେ ନିଜେ ଖୋଳୁଁ ଖଣା ।

(ପ୍ରସ୍ଥାନ)

 

୩ୟ ଦୃଶ୍ୟ

ଅନ୍ତଃପୁରସ୍ଥ କକ୍ଷ

(ମଧୁସୂଦନ, ଦୀନବନ୍ଧୁ, ରତ୍ନାକର ଓ ପ୍ରଭାକରର ପ୍ରବେଶ)

ମଧୁ-

ଟଙ୍କା, ଟଙ୍କା, ମୋ’ ଟଙ୍କା କାହିଁ ଦିଅ ।

ଦୀନ-

ହଁ ହଁ ଦଉଚି । ରତ୍ନାକର ଟଙ୍କା ବାହାର କର ।

ମଧୁ-

ଟଙ୍କା, ଟଙ୍କା, ସାତହଜାର ଟଙ୍କା, ମୋ’ ଟଙ୍କା

ରତ୍ନା-

କିଛି କମ୍ ହବ ନାହିଁ ?

ମଧୁ-

ଏକ କଉଡ଼ି କମ୍ ହବନାହିଁ । ମୋ’ ଟଙ୍କା, ସାତହଜାର ଟଙ୍କା । ମୋ’ ଟଙ୍କା, ମୋ’ ଟଙ୍କା ।

ପ୍ରଭାକର-

ପଟନାହାକେ ଏ ହଡ଼ାବେପାର କେତେଦିନୁ ଆରମ୍ଭ କଲେଣି ?

ମଧୁ-

ଏଁ ଏଁ, ମୋ’ ଟଙ୍କା, ମୋ’ ଟଙ୍କା, ମୋ’ ଟଙ୍କା ଦିଅ ।

ପ୍ରଭାକର-

ତୁମର କେଇଟି ପୁଅ ?

ମଧୁ-

ମୋର ତିନିପୁଅ, ଏଇଟି ବଡ଼ । ମୋ’ ଟଙ୍କା ଅଣ ।

ପ୍ରଭା-

ଏଇଟିକି ତ ସାତହଜାର କଲ, ଆରଦୋଟି କେତେ ନେଖା ମୂଲ ହେବେ ?

ମଧୁ-

ଆରେ ଚନ୍ଦରା ! ଚନ୍ଦରା କୁଆଡ଼େ ଗଲୁ । ମୋ’ ଟଙ୍କା, ମୋ’ ଟଙ୍କା, ମୋ’ ଟଙ୍କା ଆଣ । (ଭାରିଆମାନଙ୍କର ସାତଥକୀ ଖପରାସହ ପ୍ରବେଶ ଏବଂ ଥଳୀ ସ୍ଥାପନପୂର୍ଵକ ପ୍ରସ୍ଥାନ)

ରତ୍ନା-

ନିଅ ଟଙ୍କା ଗଣ ।

ମଧୁ-

(ଥଳୀ ଫିଟାଇ ଦେଖି) ଇଏ କ’ଣ ! ମୋ’ ଟଙ୍କା, ମୋ’ ଟଙ୍କା । ଇରେ ଚନ୍ଦରା ମୋ’ ଟଙ୍କା ।

ରତ୍ନା-

ସେଇ ତ ଟଙ୍କା । କୁହ୍ମାରକୁ ବରାଦ ଦିଆଯାଇଥିଲା । ନ ହେଲେ ଏତେ ଟଙ୍କା ଆଉ କୋଉଠୁ ଆସିବା । ନିଅ, ନିଅ, ଗଣ ।

ମଧୁ-

ମୋ’ ଟଙ୍କା, ମୋ’ ଟଙ୍କା, ଇରେ ଚନ୍ଦରା ମୋ’ ଟଙ୍କା ।

ପ୍ରଭା-

(ଗୋଟିଏ ଥଳୀଧରି) ଏ ସବୁଗୁଡ଼ିକ ତମଗଳାରେ ଝୁଲାଇ-ବାକୁ ହେବ । (ଗଳାରେ ବାନ୍ଧିବାର ଉଦ୍ୟମ)

ମଧୁ-

ଇରେ ଚନ୍ଦରା ! ମୋତେ ଛାଡ଼ ମୋର ଟଙ୍କାର ଦରକାର ନାହିଁ । ରକ୍ଷା କର, ରକ୍ଷା କର ।

ରତ୍ନା-

ସେ କଥା ହବନାହିଁ । ସବୁ ଗଳାରେ ବନ୍ଧାଯିବ ।

ମଧୁ-

ତମ ଗୋଡ଼ତଳେ ପଡ଼ୁଚି, ଆଉ ଟଙ୍କା ଦରକାର ନାହିଁ । ଟଙ୍କା ନେବି ନାହିଁ ।

ପ୍ରଭା-

ସେ କଥା ନ ପଟେ । ଟଙ୍କା ନବାକୁ ହବ ।

ମଧୁ-

ରକ୍ଷା କର, ମୋତେ କ୍ଷମା କର, ମୁଁ ଆଉ ଟଙ୍କା ଖୋଜିବି ନାହିଁ ରେ ଚନ୍ଦରା ! (ରୋଦନ)

ଦୀନ-

ଛାଡ଼, ଛାଡ଼ । ବୁଢା ଲୋକ ବ୍ୟସ୍ତ ହେଲେଣି ।

ରତ୍ନା-

ବୁଢା କହୁ ପୁଅବିକା ବେପାର ଆଜିଠାରୁ ଛାଡିଲା, ତାହା ହେଲେ ତାକୁ ଛାଡିବା-। ନ ହେଲେ ଏ ସାତହଜାରଯାକ ସବୁ ବୁଢା ବକରେ ନ ଝୁଲେଇ କିଏ ଛାଡ଼ୁଚି-

ମଧୁ-

ଛାଡ଼ିଲି, ଛାଡ଼ିଲି, ଏହି ମୁହୂର୍ତ୍ତରୁ ଛାଡ଼ିଲି । ନାକ ଘଷୁଚି ।(ନାସା ଘର୍ଷଣ); କାନ ମୋଡ଼ୁଚି (କାନ ମୋଡିବା); ନିଶ୍ଚୟ ଛାଡ଼ିଲି । ଆଉ କେବେ ଟଙ୍କା ନା ଧରିବି ନାହିଁ । ମୋତେ ରକ୍ଷା କର । ମୁଁ ଯାଏଁ, ମୋତେ ଛାଡ଼ିଦିଅ ।

ରତ୍ନା-

ତେବେ କଣ ବର ବେଦିକି ଆସନ୍ତୁ ଏଥର !

ମଧୁ-

ହଁ ଆସୁ ।

ଦୀନ-

ଛାଡ଼ ଛାଡ଼ । (ମଧୁସୂଦନଙ୍କ ଗଲାରୁ ଥଳୀ ଫିଟାଇ ରଖି) ସମୁଦି ଏଥର ଆସ, ଆମ ଘର ଦ୍ୱାର ଟିକିଏ ଦେଖିଯିବ । ବୋହୂଟିକୁ ମଧ୍ୟ ଦେଖିଥାଏ । ପଛେ ଆଉ ଭଲ ମନ୍ଦ କହିବାକୁ ନ ଥିବ । ଟଙ୍କା ଯୋଗୁରୁ ତ କିଛି ଦେଖି ନ ଥିଲ, ଏଥର ଦେଖିବା ଚାଲ ।

(ସମସ୍ତଙ୍କର ପ୍ରସ୍ଥାନ)

 

୪ର୍ଥ ଦୃଶ୍ୟ

ଅନ୍ତଃପୁର

(ମଧୁସୂଦନ, ଦୀନବନ୍ଧୁ ଓ ରତ୍ନାକରଙ୍କର ପ୍ରବେଶ)

ମଧୁ-

ମତେ ଛାଡ଼ ମୁଁ ଯାଏଁ । ମୋ’ ଟଙ୍କା

ରତ୍ନା-

ଫେର ଟଙ୍କା, ଆଣିବୁତିରେ ଟଙ୍କା ।

ମଧୁ-

ନାହିଁ ନାହିଁ, ଭୁଲିଗଲି । ଚାପୁଡ଼ା ଖାଉଚି (ନିଜଗାଲରେ ଚପେଟାଘାତ) ଆଉ କେବେ କହିବିନାହିଁ ।

ଦୀନ-

ହଉ ଛାଡ଼ । କିଏ ଅଛ, ଝିଅକୁ ଆଣିବଟି । ସମୁଦି ତାଙ୍କ ବୋହୂକୁ ଦେଖି ଯାଉନ୍ତୁ ।

(ବିକୃତମୁଖୀ କନ୍ୟା ସହ ବିକୃତମୁଖୀ ରାମଣୀମାନଙ୍କର ଦୀର୍ଘ ଅବଗୁଣ୍ଠନରେ ନଇଁ ନଇଁ ପ୍ରବେଶ-। ଦୀନବନ୍ଧୁ ଓ ରତ୍ନାକର-ଙ୍କର ପ୍ରସ୍ଥାନ । ରାମଣୀମାନଙ୍କର ଅବଗୁଣ୍ଠନ ମୋଚନ ଓ ମଧୁସୂଦନଙ୍କୁ ଆକ୍ରମଣ । ମଧୁସୂଦନଙ୍କର ଦୀର୍ଘ ଚିତ୍କାର)

ଗୀତ

ହାଉଁ ମାଉଁ ହାଉଁ             ମାଉଁ ଖାଉଁ ଖାଉଁ ଖାଉଁ

କାହିଁ ନ ଚାହୁଁ ।

ପୁଅ ବିକା ମୁଣ୍ଡ ଖାଉଁ             ଗାଉଁ ଗାଉଁ ଗାଉଁ

ପୁଅ ବିକାଙ୍କୁ ଗିଳିଯାଉଁ             ଆଉଁ ଆଉଁ ଆଉଁ ।

(ପଟକ୍ଷେପ)

 

ତୃତୀୟ ଅଭିନୟ

ସୂଚୀ

୧ମ ଦୃଶ୍ୟ

୨ୟ ଦୃଶ୍ୟ

୩ୟ ଦୃଶ୍ୟ

୪ର୍ଥ ଦୃଶ୍ୟ

 

୧ମ ଦୃଶ୍ୟ

ନିର୍ମଳାବାଳାଙ୍କ ବୈଠକଖାନା

(ବାଳିକାଗଣ ପ୍ରବେଶ)

ଗୀତ

ନ ଖୋଜିବା ଆଉ ନର ଲୋ ସଜନି

ନ ଖୋଜିବା ଆଉ ନର ।

ନରଜାତି ଆମ୍ଭ ପରମ ଅଇରି

ନରଜାତି ଆମ୍ଭ ପର ।

ଧରି ସାରିଲୁଣି ସବୁ କରାମତି

ଯେତେ ଯାହା ନରଙ୍କର ।

ନର କି କରନ୍ତି ନାରୀ ନ ପାରନ୍ତି

କିପାଇଁ ନରଙ୍କୁ ଡର ।

ନିଜ ନିଜ ଘର କରିବା ଆମର

ନିଜେ ନିଜେ ହେବା ବର ।

ନିଜ କାରବାର ନିଜେ କରି ନେବା

ଏଣିକି ଏବେ ଏଥର ।

(ବାଳିକାମାନଙ୍କର ପ୍ରସ୍ଥାନ ନିର୍ମଳାବାଳା, ପ୍ରମିଳା, ଶଶିକଳା, ଚାରୁଶୀଳା ଓ ବସନ୍ତ- ବାଳାଙ୍କର ପ୍ରବେଶ ଓ ଯଥା ଯଥା ସ୍ଥାନେ ଉପବେଶନ ।)

ପ୍ରମିଳା-

ନିର୍ମଳାବାଳା ଆମ୍ଭମାନଙ୍କର ବହୁକାଳର ବନ୍ଧୁ । ସେ ବିବାହ ହୋଇ ଆମ୍ଭମାନଙ୍କ ସଙ୍ଗରୁ ଚାଲି ଯାଉଅଛନ୍ତି । (ନିର୍ମଳା ପ୍ରତି) ନିର୍ମଳା, ତୁମ୍ଭେ ଯାଉଅଛ । ମୋର ତୁମ୍ଭଙ୍କୁ ଏତିକି ମାତ୍ର ଅନୁରୋଧ, ତୁମ୍ଭେ ଯେପରି ନାରୀର ସମ୍ମାନ କେବେ ବିସ୍ମୃତି ନ ହୁଅ । ନରଠାରୁ ନାରୀ କୌଣସି ଗୁଣରେ ନ୍ୟୁନ ନୁହେଁ । ନରର ଗୋଟାଏ ବୃଥା ଅହଂକାର ଅଛି ଯେ ସେ ନାରୀଠାରୁ ଶ୍ରେଷ୍ଠ । ନରାଜାତିର ସେ ଅହଂକାର ଚୁର୍ଣ୍ଣ କରିବା କାରଣ ତୁମ୍ଭେ ସଦା ସର୍ବଦା ଯତ୍ନ କରିଚ ।

ଶଶିକଳା-

ନିର୍ମଳା ଆମ୍ଭମାନଙ୍କର ଜଣେ ପ୍ରଧାନ ନେତା । ନିର୍ମଳା ଯଥା କାର୍ଯ୍ୟରେ ତଥା ବାକ୍ୟରେ ସର୍ବଦା ନାରୀଜାତିର ମର୍ଯ୍ୟାଦା ବଜାଏ ରଖି ଆମ୍ଭମାନଙ୍କର ସ୍ନେହ ଓ ଭକ୍ତି ଉପାର୍ଜନ କରିଅଛନ୍ତି । ଆଜି ବିବାହ କରୁଅଛନ୍ତି ବୋଲି କଦାଚ ସେ ମର୍ଯ୍ୟାଦା ସେ ବୁସ୍ମୃତ ହେବେ ନାହିଁ । ପୁରୁଷ-ଜାତିର ଆମ୍ଭମାନଙ୍କ ସହିତ ବ୍ୟବହାର ଅତ୍ୟନ୍ତ ଘୃଣା-ଜନକ, ବିଶେଷ କଦର୍ଯ୍ୟ, ବିଶେଷ ନିନ୍ଦନୀୟ । ପୁରୁଷ-ଜାତିକୁ ଦମନ କରିବା ପ୍ରତ୍ୟେକ ନାରୀର ପ୍ରଧାନ କର୍ତ୍ତବ୍ୟ । ନିର୍ମଳା ନିଜେ ଏହି ମତ ବରାବର ପ୍ରଚାର କରିଅଛନ୍ତି । ସେ କଦାଚ ସେ ମତ ବିସ୍ମୃତ ହେବେ ନାହିଁ ।

ବସନ୍ତବାଳା-

ନିର୍ମଳା ଆଜି ଏକଜଣ ପୁରୁଷକୁ ବିବାହ କରୁଅଛନ୍ତି ବୋଲି ସେ ନାରୀ ଜାତିର ମର୍ଯ୍ୟାଦା ଭୁଲିଯିବେ ଏହା କଦାପି ହୋଇ ନପାରେ; ମୋହର ବିଶ୍ୱାସ ନାରୀର ପୁରୁଷ ସହିତ ବିବାହ ଏହି ଶେଷ । ଏହାପରେ ଆଉ ଯେପରି ପୁରୁଷ ସହିତ ନାରୀର ବିବାହ ନହେଉ । ପୁରୁଷ ଜାତି ଅପେକ୍ଷା ଆମ୍ଭେମାନେ କୌଣସି ଗୁଣରେ ନ୍ୟୁନ ନୋହୁଁ । ଜଗତରେ ଏପରି କାର୍ଯ୍ୟ ନାହିଁ ଯାହା ପୁରୁଷମାନେ କରିବାକୁ ସକ୍ଷମ ମାତ୍ର ନାରୀମାନେ କରିବାକୁ ଅକ୍ଷମ । ମୋହ ବିବେଚନାରେ ଆଉ ପୁରୁଷମାନଙ୍କୁ ଆମ୍ଭେମାନେ ବିବାହ ନ କରି ନିଜ ନିଜ ମଧ୍ୟରେ ବିବାହ କାର୍ଯ୍ୟ ସାଧନା କରିବାକୁ ହେବ ପୁରୁଷର ବିନା ସାହାଯ୍ୟରେ ସଂସାର କାର୍ଯ୍ୟ ନିର୍ବାହ କରିବାକୁ ହେବ ।

ଚାରୁଶୀଳା-

ପୁରୁଷଜାତିର ମୂଳ ଉତ୍ପାଟନ କରିବାକୁ ହେବ । ନାରୀର ବିବାହ ନାରୀ ସହିତ ହେବ ଓ ମଧ୍ୟ ପୁରୁଷ ପ୍ରସବ ବନ୍ଦକରି କେବଳ ନାରୀ ପ୍ରସବ କରିବାକୁ ହେବ-। ଜଗତ ନାରୀମୟ ହୋଇଯିବ । ପୁରୁଷ ଜାତି ଧ୍ୱଂସ ହୋଇଯିବ । କେବଳ ନାରୀ ରାଜତ୍ୱ କରିବ ।

(ବାଳିକାମାନଙ୍କର ପ୍ରବେଶ)

ଗୀତ

ନ୍ୟାର୍ଯ୍ୟ ବିଚାର ନ୍ୟାର୍ଯ୍ୟ ବିଚାର

ରାଜ୍ୟ କରିବେ ନାରୀ ।

ଧାର୍ଯ୍ୟ କରିବ ଆର୍ଯ୍ୟ-କୁମାରୀ

ଭାର୍ଯ୍ୟା ନ ହେବେ କାହାରି ।

ଅସ୍ତ୍ର ଧରିବା ସମର କ୍ଷେତ୍ର

ବସ୍ତ୍ର ନ ଢାଙ୍କି ଏଥର ଗାତ୍ରେ

ବେତ୍ର ମାରିବା ପୁରୁଷ ଗାତ୍ରେ

ପୁରୁଷ ଯବ୍ଦ କାର

ପୁରୁଷ ଯବ୍ଦ କାରି

ପୁରୁଷ ଯବ୍ଦ କାରି

ପୁରୁଷ ହୋଇବେ ରମଣୀ-ଭକ୍ତ

ରମଣୀ ଶୋଷିବେ ପୁରୁଷ ରକ୍ତ

ଧରିବା କଲମ ଧରିବା କଲମ

ଶକ୍ତ ହୁକୁମ ଜାରି ।

ଶକ୍ତ ହୁକୁମ ଜାରି ।

ଶକ୍ତ ହୁକୁମ ଜାରି ।

 

୨ୟ ଦୃଶ୍ୟ

ରାଜପଥ

(ମଧୁସୂଦନ, ଚନ୍ଦରା ଓ ଗୁରୁଚରଣ ପ୍ରବେଶ)

ମଧୁ-

କେତେଦୂର, ଆଉ କେତେଦୂର ।

ଗୁରୁ-

ନାହିଁ ଆଉ ବେଶୀ ଦୂର ନୁହେଁ, ଆସି ପହଞ୍ଚିଲେଣି ।

ମଧୁ-

ଯାହାହଉ ବାପ ମୁଁ ତତେ କୋଟି କଲ୍ୟାଣ କରୁଚି । ତୁ ମୋତେ ବହୁତ ଲଜ୍ଜାରୁ ବଞ୍ଚେଇଲୁ । ମୋ’ ମୁହଁ ପୋଡ଼ି ଯାଇଥିଲା । ମୁଣ୍ଡ ଟେକି ପରି ନ ଥାନ୍ତି । ବାହା ବାହା । ବୋହୂଟି କେମିତିକା ?

ଗୁରୁ-

ବୋହୂଟି ଭଲ । ଆପଣ ଚାଲନ୍ତୁ ଦେଖିବେ ।

ମଧୁ-

ଆଉ ଟଙ୍କା (ସରକିତେ ଚିତ୍କାର କରି) ଇଲୋ ନାହିଁ,ନାହିଁ ଖାଇଗଲେ ଖାଇଗଲେ । ଆଉ କହିବି ନାହିଁ, କେବେ କହିବି ନାହିଁ । ମା ମା ମୋତେ ରକ୍ଷା କର, ରକ୍ଷା କର । ଆଉ କେବେ ଟଙ୍କା ନାଁ ଧରିବି ନାହିଁ ।

ଗୁରୁ-

ଟଙ୍କା କଥା ଛାଡ଼ନ୍ତୁ । ପୁଅ ବିବାହ କରି ବୋହୂଟିକୁ ଘରକୁ ଆଣନ୍ତୁ । ବୋହୂଟି ମନ ମୁତାବକ ହେଲେ ସବୁ ସୁଖର କଥା ହେବ ।

ମଧୁ-

ବୋହୂଟି ଭଲ, ନା ? ହଉ ହଉ । ଚାଲ ବାପା ଚାଲ-। ଚନ୍ଦରା ! ଇରେ ଚନ୍ଦରା-

ଚନ୍ଦ୍ର-

ଆଜ୍ଞା ।

ମଧୁ-

ସେ ସେ ସେ ସମର୍ପଣିଆ ଯୋଡୁଟା ଆଣିଚୁଟି ?

ଚନ୍ଦ୍ର-

ଆଜ୍ଞା ହଁ ଆଣିଚି !

ମଧୁ-

ହଷ୍ଟଗ୍ରନ୍ଥି ଫିଟା ଶାଢ଼ୀଖଣ୍ଡ ?

ଚନ୍ଦ୍ର-

ଆଣିଚି ଆଣିଚି ।

ମଧୁ-

ଆଉ-ମୋ’ ମୋ’ ମୋ’ ମୋଲାଗି ମଠା ଯୋଡ଼େ ?

ଚନ୍ଦ୍ର-

ସାଆନ୍ତେ ସବୁ ଆଣିଚି ଚାଲନ୍ତୁ ।

ମଧୁ-

ହଉ ହଉ ଆ ଆ ଆ ।

(ସମସ୍ତଙ୍କର ପ୍ରସ୍ଥାନ)

 

୩ୟ ଦୃଶ୍ୟ

ପ୍ରାଙ୍ଗଣ (ରାଧାର ପ୍ରବେଶ)

ରାଧା-

ରାଧୀ ଗୋସେଇଁ ଖାଇ ଏକା ତିନି କୁଳରୁ ବାହାର । କାହିଁ କିମ ! କୋଉ କଥାକୁ । ମୁଁ ଆଉ କଣ ମାଇକିନିଆ ନୁହେ ନା କଣ ! ସମସ୍ତେ ଜାମା ପିନ୍ଧିଲ, ଯୋତା ମାଡିଲ, ଘୋଡା ଚଢିଲ । ରାଧୀ ଗୋସେଇଁ ଖାଇ କପାଳରେ ଯୋଉ ପହଁରାକୁ ସେଇ ପହଁରା । କିଆଁ ! ମତେ କଣ ପାଠ ପଢି ଆସିବା ନାହିଁ ନା ନାଟ କରି ଆସିବା ନାହିଁମ । ହଉ ହଉ ଯାଉ ବାହାଘରଟା ଯାଉ । ତେବେ ଯାଇ କଥା ବାରତା । ଏଇଖିଣି କିଛି କହୁ ନାହିଁ ପରା, ଦାନ୍ତ କାମୁଡି ରହିଛି । ବାହାଘର ଗଲେ ସବୁ କଥା ।

ଗୀତ

ନାହିଁ ନାହିଁ ନାହିଁ ନାହିଁ       ନ ଧରିବ ପହଁରା ।

ପାଠ ପଢ଼ିଲ ସବୁ ଛାଡ଼ିଲ

ମୁଁ କାହିଁକି ଆଉ ଏଣିକି

ଆ ଆ ଆ ଆ ଏପରି

ନୀତି ସଖାଳୁ ମରେଁ କାଢି ମଳିଆ ।

(ପ୍ରସ୍ଥାନ)

 

୪ର୍ଥ ଦୃଶ୍ୟ

ବିବାହ ମଣ୍ଡପ

(ପଦ୍ମନାଭ ଓ ନିର୍ମଳାବାଳା ବର କନ୍ୟା ବେଶରେ ଏବଂ ଅନ୍ୟାନ୍ୟ ସ୍ତ୍ରୀ ଓ ପୁରୁଷ, ବନ୍ଧୁ ବାନ୍ଧବଗଣ ଯଥା ଯଥା ସ୍ଥାନରେ ଉପବିଷ୍ଟ ଓ ଦଣ୍ଡାୟମାନ, ମଧୁସୂଦନ ଓ ଚନ୍ଦ୍ରମଣିର ପ୍ରବେଶ)

ମଧୁ-

(ଆଶ୍ଚର୍ଯ୍ୟ ଭାବେ ଚତୁର୍ଦିଗକୁ ଚାହିଁ ଚାହିଁ) କିରେ ଚନ୍ଦରା! ଚନ୍ଦରା ! କିରେ ଇଏ କଣ ! ଇଏ କଣ ରେ ଚନ୍ଦରା ! ମୋତେ ତୁ କୋଉଠିକି ଆଣିଲୁ ରେ ଚନ୍ଦରା । ମୁଁ କୋଉଠି ଆସି ପହଞ୍ଚିଲି ରେ ଚନ୍ଦରା । ଚନ୍ଦରା ! ଚନ୍ଦରା !

ଚନ୍ଦ୍ର-

ଆଜ୍ଞା ।

ମଧୁ-

ଚନ୍ଦରା ।

ଚନ୍ଦ୍ର-

ଆଜ୍ଞା ।

ମଧୁ-

ଚନ୍ଦରା ।

ଚନ୍ଦ୍ର-

ଆଜ୍ଞା ।

ମଧୁ-

ଇରେ ମୋତେ ତୁ କୋଉଠିକି ଆଣିଲୁ ରେ ଚନ୍ଦରା । ମୋତେ ତୁ କଣ କଲୁରେ ଚନ୍ଦରା ! ପଦିଆକୁ ଫେର ଯୋଗିନୀ ଗିରାଶିଲା ରେ ଚନ୍ଦରା । ଇରେ ପଦିଆ ତୁ କଣ କଲୁରେ ପଦିଆ ! (ରୋଦନ)ଇରେ ପଦିଆ, ଇରେ ପଦିଆ, ଇରେ ସେଇଟା କଣ ମାଈ ନା ଅଣ୍ଡିରାରେ ପଦିଆ । ତୁ କଣ କଲୁରେ ପଦିଆ ! (ରୋଦନ) ବରକନ୍ୟା ଛଡ଼ା ଅନ୍ୟ ସମସ୍ତେ-ଅସଭ୍ୟା, ବର୍ବର, ମୂର୍ଖ, ଦୂର ହୁଅ ଏଠାରୁ ।

ମଧୁ-

(ରୋଦନ କରି କରି) ଇରେ ପଦିଆ ତୁ ମୋ’ କୁଳ ବୁଡ଼େଇଲୁ ରେ ପଦିଆ । ତୋ ହାତରୁ ପିଣ୍ଡ ମୁଠା ପାଇବି ବୋଲି କେତେ ଆଶା କରିଥିଲି ରେ ପଦିଆ । ତୁ ମୋ’ ନିଶ୍ୱାସ ବୁଡ଼େଇଲୁ ରେ ପଦିଆ, ତୁ କଣ କଲୁ ରେ ପଦିଆ । ଏ ଡ଼କୁଣୀକି କାହିଁକି ଛନ୍ଦିହେଲୁ ରେ ପଦିଆ (ରୋଦନ) ବରକନ୍ୟା ଛଡ଼ା ଅନ୍ୟ ସମସ୍ତେ-ଅସଭ୍ୟ, ବର୍ବର, ପଶୁ (ଉଥିାନ ଓ ମଧୁସୂଦନଙ୍କୁ ଆକ୍ରମଣର ଉଦ୍ୟମ)

ମଧୁ-

ଚନ୍ଦରା ! ଚନ୍ଦରା (ଦୀର୍ଘ ଚିତ୍କାର)

(ପଟକ୍ଷେପ)